ନୂଆଦିଲ୍ଲୀ: ତାମିଲନାଡ଼ୁ ମଦୁରାଇର ଶାନ୍ତ ଗଳିରୁ ଦିଲ୍ଲୀରେ କ୍ଷମତାର ସର୍ବୋଚ୍ଚ କେନ୍ଦ୍ର ଯାଏ ପହଞ୍ଚିଥିବା ନିର୍ମଳା ସୀତାରମଣଙ୍କ ଯାତ୍ରା ସ୍ଥିରତା, ଉତ୍ସର୍ଗୀକୃତରେ ଭର୍ତ୍ତି ରହିଛି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଭାବେ ସୀତାରମଣ କେବଳ ରାଜନୈତିକ ସଫଳତା ପାଇନାହାନ୍ତି, ବରଂ ସାରା ଦେଶରେ ମହିଳାଙ୍କ ପାଇଁ ସଶକ୍ତିକରଣର ପ୍ରତୀକ ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କର ଯାତ୍ରା ଏକ ପ୍ରେରଣା, ବିଶେଷକରି ସେମାନଙ୍କ ପାଇଁ ଯେଉଁ ବଡ଼ ସ୍ୱପ୍ନ ଦେଖନ୍ତି ଏବଂ ସ୍ଥିରତାର ସହ ନିଜ କାର୍ଯ୍ୟ ଜାରି ରଖନ୍ତି ।
ନିର୍ମଳା ସୀତାରମଣଙ୍କ ଜନ୍ମ ୧୮ ଅଗଷ୍ଟ ୧୯୫୯ରେ ତାମିଲନାଡୁର ମଦୁରାଇରେ ଏକ ତାମିଲ ଆଇୟେଙ୍ଗର ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ନାରାୟଣନ ସୀତାରମଣ ଭାରତୀୟ ରେଲୱେ କର୍ମଚାରୀ ଥିଲେ । ଏକ ମଧ୍ୟବିତ୍ତ ପରିବାରରରୁ ଆସିଥିବା ନିର୍ମଳାଙ୍କ ଶିକ୍ଷା ହେଉଛି ସର୍ବଶ୍ରେଷ୍ଠ ପୁଞ୍ଜି । ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯିବା ପୂର୍ବରୁ ମଦୁରାଇ ଏବଂ ତିରୁଚିରାପଲ୍ଲୀରେ ତାଙ୍କର ପାଠପଢା ସମାପ୍ତ କରିଥିଲେ । ନିର୍ମଳା ମାଷ୍ଟର ତିରୁଚିରାପଲ୍ଲୀର ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ପରେ ଜେଏନୟୁର ସ୍ନାତକୋତ୍ତର ଏବଂ ଏମଫିଲ୍ କରିଥିଲେ । ଜେଏନୟୁରେ ଥିବା ସମୟରେ ସେ ତାଙ୍କ ସ୍ୱାମୀ ପାରାକାଲା ପ୍ରଭାକରଙ୍କୁ ଭେଟିଥିଲେ । ଭିନ୍ନ ରାଜନୈତିକ ଚିନ୍ତାଧାରା ସତ୍ତ୍ୱେ ୧୯୮୬ ଦୁହେଁ ପରସ୍ପରକୁ ବିବାହ କରିଥିଲେ ।
୨୦୦୬ ମସିହାରେ ନିର୍ମଳା ସୀତାରମଣ ରାଜନୀତିରେ ପ୍ରବେଶ କରିଥିଲେ । ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ ଦଳ ୨୦୧୦ରେ ତାଙ୍କୁ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଥିଲା । ଏହି ଭୂମିକାରେ ଥିବା ବେଳେ ନିର୍ମଳାଙ୍କ ଦକ୍ଷତାକୁ ସମସ୍ତେ ଦେଖିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୨୦୧୯ରେ ନିର୍ମଳା ସୀତାରମଣ ଭାରତର ଅର୍ଥମନ୍ତ୍ରୀ ହୋଇଥିଲେ । ତାଙ୍କର ନିଯୁକ୍ତି ଐତିହାସିକ ଥିଲା । ଭାରତର ପ୍ରଥମ ମହିଳା ଭାବରେ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହୋଇଥିଲେ । ଦେଶର ଆର୍ଥିକ ପରିଚାଳନା ଏବଂ ଜଟିଳ ଅର୍ଥନୈତିକ ଆହ୍ୱାନକୁ ସାମନା କରିବାର ତାଙ୍କର ଦକ୍ଷତା ଉଭୟ ଭାରତ ତଥା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି ।
ସୀତାରମଣ ଜୁଲାଇ ୨୦୧୯ରେ ନିଜର ପ୍ରଥମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ବଜେଟ୍ ଉପସ୍ଥାପନ କରିବାରେ ସେ ହୋଇଥିଲେ ଦ୍ୱିତୀୟ ମହିଳା । ଅଭିବୃଦ୍ଧିକୁ ଉତ୍ସାହିତ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଥିଲେ, ବ୍ୟବସାୟ ପାଇଁ ଟିକସ ଛାଡ଼ ଏବଂ ବିଦେଶୀ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ ବି ନେଇଥିଲେ । ଚଳିତଥର ସୀତାରମଣଙ୍କ କ୍ରମାଗତ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ।